ନିର୍ବାଚନ ଋତୁ ଆସିଗଲା । ଅସଲ କାର୍ଯ୍ୟକର୍ତ୍ତାର କାହାଣୀ ।

651

Odisha News Hawk (By Rajesh Pattnaik): ବହୁ ଘୁମନ୍ତୁ ପ୍ରାଣୀ ଏବେ ଦଳୀୟ କାର୍ଯ୍ୟାଳୟ ମାନଙ୍କରେ । ତା’ ସାଙ୍ଗକୁ କିଛି ବ୍ୟବସାୟିକ ସଂସ୍ଥା ଯାହାପ୍ରତି ସ୍ୱୟଂ କୁବେର ଭଗବାନଙ୍କର ଅପାର ଆଶୀର୍ବାଦ ରହିଛି, ସେମାନେ ଆମ ସରକାରଙ୍କ ମିଲର ସଂସ୍ଥା ଭଳିଆ, ହଠାତ୍ ଏହି ଅମଳ ସମୟରେ ଆବିର୍ଭାବ ହୁଏ ସେମାନଙ୍କର ।

ଯେମିତି ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ବର୍ଷ ସାରା ପରିଶ୍ରମ କରେ ଆଉ ଅମଳ ସମୟରେ ସେ ମିଲର ସଂସ୍ଥାର ଦୟାର ପାତ୍ର, ଠିକ୍ ସେହିଭଳି ଦଳୀୟ କାର୍ଯ୍ୟକର୍ତ୍ତାଟି ବର୍ଷ ତମାମ ଦଳ ପାଇଁ କାମ କରେ, ହେଲେ ନିର୍ବାଚନ ସମୟରେ ମିଲର ସଂସ୍ଥା ପରି ଆସିଥିବା ‘ବାଇଆ ମୁଣ୍ଡ‘ ମାନେ ତାରି ଆଗରେ ତାରି ଦଳ ବିଷୟରେ, ତା ନିର୍ବାଚନ ମଣ୍ଡଳୀ ବିଷୟରେ, ରାଜ୍ୟ ରାଜନୀତି ବିଷୟରେ ନିଷ୍ପତ୍ତି ନେବାରେ ଲାଗି ପଡନ୍ତି ।

ବିଚରା କାର୍ଯ୍ୟକର୍ତ୍ତାଟି ଅଲୋଡ଼ା ହୋଇଯାଏ । ହେଲେ ବଡ ଲୋକେ ଯାହା ବୁଝିଥିବେ, ଯାହା କହୁଥିବେ ତାକୁ କ୍ରିୟାନ୍ୱୟନ କରିବା ପାଇଁ ଆଗାମୀ ନିର୍ଦ୍ଦେଶ ଅପେକ୍ଷାରେ ରହିଯାଏ ସାଧାରଣ କାର୍ଯ୍ୟକର୍ତ୍ତାଟି ।

ନିର୍ବାଚନ ଋତୁ ସରିଗଲା ପରେ ମଧ୍ୟ ନିଜ ଦଳୀୟ ବସାରେ ପଡି ରହିଥାଏ ଏହି କାର୍ଯ୍ୟକର୍ତ୍ତା । କିନ୍ତୁ ଏହି ଅମଳ ଋତୁରେ ଚିଲିକାକୁ ଆସୁଥିବା ଘୁମନ୍ତୁ ପକ୍ଷୀ ପରି ଆସିଥିବା ‘ବାଇଆ ମୁଣ୍ଡ’ ମାନେ ବେଶ୍ କିଛି ରୋଜଗାର କରି ଉଡିଯାଆନ୍ତି, କିନ୍ତୁ ନିଜର ସାମର୍ଥ୍ୟ ଠାରୁ ଅଧିକ ଦଳ ପାଇଁ ଉତ୍ସର୍ଗ କରି ସେମିତି ଦୁର୍ଦ୍ଦିନରେ ଥାଏ କାର୍ଯ୍ୟକର୍ତ୍ତା ।

ଜୟ ଜଗନ୍ନାଥ !

Comments
Loading...