ରାଜନୀତିରେ କେହି ଶତ୍ରୁ ନୁହନ୍ତି, କେହି ମିତ୍ର ନୁହନ୍ତି; ନିଜସ୍ୱ ସ୍ୱାର୍ଥ ହିଁ ସବୁ କିଛି

495

Odisha News Hawk (By ଚାରୁ ଚନ୍ଦନ ଦାଶ): ବିଜେପି ନାଁ ଶୁଣିଲେ ଯାହାର ନାହି ଡେଉଁଥିଲା, ସିଏ ଆଜି ବିଜେପିକୁ ପୁଣି ଫେରିଛି । ଗତ ବର୍ଷ ନଭେମ୍ୱର ୩୦ ତାରିଖରେ ବିଜୟ ମହାପାତ୍ର ବିଜେପି ଛାଡ଼ିଥିଲେ । ସେତେବେଳେ ଦଳ ତାଙ୍କ ପ୍ରତି ଅଣଦେଖା କରୁଥିବା ଦର୍ଶାଇ ବିଜୟ କ୍ଷୋଭ ପ୍ରକାଶ କରିଥିଲେ । ଏପରିକି ବିଜେପି ବିରୋଧରେ ବି ଧୂମ୍ ବର୍ଷିଥିଲେ । ବିଜେପି ବି ତାଙ୍କୁ ଛାଡ଼ି ନ ଥିଲା । ପ୍ରେସମିଟ୍ କରି ସିଧା ବିଜୟଙ୍କ ବାୟୋଲୋଜିକାଲ ଟେଷ୍ଟ କରିଥିଲା ବିଜେପି । ତାଙ୍କ ଡିଏନଏରେ ଦଳ ଡିଆଁ ଜିନ୍ ଥିବା ବିଜେପି ସେତେବେଳେ କହିଥିଲା । ଯେଉଁ ଧର୍ମେନ୍ଦ୍ର ପ୍ରଧାନ ଆଜି ତାଙ୍କୁ ଅତି ସ୍ନେହର ସହ କୋଳେଇ ନେଇଥିଲେ, ସିଏ ବି ସେତେବେଳେ ବିଜୟଙ୍କୁ ଛାଡ଼ି ନ ଥିଲେ । ମାତ୍ର, ସବୁ ପରେ ବି ବିଜୟ ରାଗ, ଋଷା, ମାନ, ଅଭିମାନକୁ ଭୁଲି ନିଜ ଘରକୁ ବାହୁଡ଼ିଛନ୍ତି ।

ଗତ ସପ୍ତାହେ ଧରି ବିଜୟଙ୍କ ଘରେ ଡେରା ପକାଇଥିଲେ ବିଜେପି ନେତା । ତାଙ୍କୁ ମନାଇବାକୁ ଦିଲ୍ଲୀରୁ ବି କୁଆଡ଼େ ଟେଲିଫୋନ୍ ଯାଇଥିଲା । ତେବେ ବିଜୟଙ୍କୁ ନେଇ ବିଜେପି କରିବ କ’ଣ ? ବିଜୟଙ୍କ ଭରସାରେ ଯଦି ବାବୁ ବୈଜୟନ୍ତ ଗଡ଼ ଜିତିବାକୁ ପ୍ରୟାସ କରୁଥାନ୍ତି, ତେବେ ତାହା କେତେଦୂର ସଫଳ ହେବ ? ବିଜୟଙ୍କୁ ଦଳ ଟିକେଟ୍ ଦେବା ପ୍ରତିଶ୍ରୁତି ଦେଇ ମନାଇଛି ନା ଡିଲ୍ ପଛରେ ଆଉ କିଛି ରହସ୍ୟ ରହିଛି ? କାରଣ ଏମିତିରେ ବି କେନ୍ଦ୍ରାପଡ଼ା ରାଜନୀତିରେ ବିଜୟଙ୍କ କାଟତି ଯାହା, ତାଙ୍କୁ ଟିକେଟ୍ ନ ଦେବା କଥା ଚିନ୍ତା ମଧ୍ୟ କରି ପାରି ନ ଥାନ୍ତା ପଦ୍ମଦଳ ।

ଏକଦା ବିଜୁ ଜନତା ଦଳର ପ୍ରତିଷ୍ଠାତା ସଦସ୍ୟ ଭାବେ ଜଣାଶୁଣା ଥିବା ବିଜୟ ମହାପାତ୍ରଙ୍କୁ ସେତେବେଳେ ସୁପର୍ ଚିଫ୍ ମିନିଷ୍ଟର୍ ମଧ୍ୟ କୁହାଯାଉଥିଲା । ୧୯୮୦ ମସିହାରେ ଚରଣ ସିଂହଙ୍କ ଜନତା ଦଳ ଟିକେଟରେ ଉପ ନିର୍ବାଚନ ଲଢି ଜିତିଥିଲେ ବିଜୟ । ଏହାପରେ ୧୯୮୫ରୁ ୧୯୯୦ ପର୍ଯ୍ୟନ୍ତ ଜନତା ପାର୍ଟିରୁ ସିଏ ବିଧାୟକ ହୋଇଥିଲେ । ଏହାପରେ ୧୯୯୦ରୁ ୨୦୦୦ ପର୍ଯ୍ୟନ୍ତ ଜନତା ଦଳରୁ ପାଟକୁରା ବିଧାୟକ ଥିଲେ । ୧୯୯୭ ମସିହାରେ ବିଜୁ ଜନତା ଦଳର ସିଏ ଥିଲେ ପ୍ରତିଷ୍ଠାତା ସଦସ୍ୟ । ସେତେବେଳେ ସିଏ ବିଜେଡିର ପଲିଟିକାଲ ଆଫେୟାର୍ସ କମିଟିର ଅଧ୍ୟକ୍ଷ ଥିଲେ । ମାତ୍ର, ୨୦୦୦ ମସିହାରେ ନାମାଙ୍କନ ଦାଖଲ କରି ଯିବାର ଠିକ୍ ପୂର୍ବରୁ ତାଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳରୁ ବହିଷ୍କାର କରିଥିଲେ ।

ଏହାପରେ ବିଜୟ ୨୦୦୧ରେ ଓଡ଼ିଶା ଗଣ ପରିଷଦ ଦଳ ଗଠନ କରିଥିଲେ । ୨୦୦୯ ନିର୍ବାଚନ ପୂର୍ବରୁ ଓଜିପିକୁ ଏନସିପିରେ ମିଶାଇବା ପରେ ବିଜୟ ବିଜେପି ଶିବିରରେ ଶରଣ ନେଇଥିଲେ । ଏହାପରେ ୨୦୧୪ କନ୍ଧମାଳ ଉପ ନିର୍ବାଚନରେ ସେ ବିଜେପି ପାଇଁ ପ୍ରଚାର କରିଥିଲେ । କିନ୍ତୁ, ୨୦୧୬ ପରଠାରୁ ସିଏ ଦଳରୁ ନିଜକୁ ଦୂରେଇ ରଖିଥିଲେ । ବସନ୍ତ ପଣ୍ଡାଙ୍କୁ ଦଳ ରାଜ୍ୟ ସଭାପତି କରିବା ପରେ ବିଜୟ ଆହୁରି କ୍ଷୋଭ ପ୍ରକାଶ କରିଥିଲେ । ଏହାପରେ ଗତବର୍ଷ ନଭେମ୍ୱର ୩୦ ତାରିଖରେ ବିଜେପି ଛାଡ଼ିଥିଲେ ।

କେବଳ ରାଜ୍ୟ ରାଜନୀତି ନୁହେଁ, ଜାତୀୟ ରାଜନୀତିରେ ମଧ୍ୟ ଅନେକ ନେତା ଅଛନ୍ତି, ଯେଉଁମାନେ ବିଭିନ୍ନ କାରଣରୁ ନିଜ ଦଳ ଛାଡ଼ି ପରବର୍ତ୍ତୀ ସମୟରେ ସେହି ଦଳକୁ ଫେରିଛନ୍ତି । ଏଠାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଉଦାହରଣ ନିଆଯାଇପାରେ । ୧୯୬୯ ମସିହାରେ କଂଗ୍ରେସରୁ ନିଜର ପ୍ରକୃତ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ପ୍ରଣବ ଦା । ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲେ । ଏହାପରେ କଂଗ୍ରେସରେ ତାଙ୍କର ପତିଆରା ବୃଦ୍ଧି ପାଇଥିଲା । ମାତ୍ର ୧୯୭୫ ମସିହା ଜରୁରୀକାଳୀନ ପରିସ୍ଥିତି ପରେ ପ୍ରଣବ ଦା କଂଗ୍ରେସରୁ ସାଇଡ୍ ଲାଇନ୍ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ରାଷ୍ଟ୍ରୀୟ ସମାଜବାଦୀ କଂଗ୍ରେସ ନାମକ ଏକ ପାର୍ଟି ଗଠନ କରିଥିଲେ । ଏହି ଦଳ ୧୯୮୯ ମସିହାରେ ପୁଣି ଥରେ କଂଗ୍ରେସରେ ମିଶିଥିଲା ।

ସେହିପରି ତାରିଖ ଅନୱର କଂଗ୍ରେସରୁ ଏନସିପି ଯାଇଥିଲେ ଏବଂ ପରେ ପୁଣି ଥରେ କଂଗ୍ରେସକୁ ଫେରିଥିଲେ । ପିଭି ନରସିଂହ ରାଓ ସରକାରରେ ଟେଲିକମ୍ ମନ୍ତ୍ରୀ ଥାଇ ଟେଲିକମ୍ ଦୁର୍ନୀତି ମାମଲାରେ ଫସି ଚର୍ଚ୍ଚାକୁ ଆସିଥିବା ସୁଖରାମ୍ କଂଗ୍ରେସରୁ ଯିବା ପରେ ନିଜେ ଏକ ଦଳ ଗଢ଼ିଥିଲେ । ଏହାପରେ ସେ ବିଜେପିରେ ମିଶିଥିଲେ ଏବଂ ନିକଟରେ ସିଏ ପୁଣି ଥରେ କଂଗ୍ରେସକୁ ଫେରିଛନ୍ତି ।

ବିଜେପି ଛାଡ଼ିବା ପରେ ବିଜୟ ରୀତିମତ ନବୀନ ନିବାସ ସମ୍ପର୍କରେ ରହିଥିବା ଚର୍ଚ୍ଚା ହୁଏ । ନବୀନଙ୍କ ସହ ସିଏ ବାରମ୍ବାର ଆଲୋଚନା କରୁଥିବା ମଧ୍ୟ ଚର୍ଚ୍ଚା ହେଉଥିଲା । ମାତ୍ର, ତାହା ଫଳପ୍ରଦ ନୋହିଲା । ହୁଏତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ନବୀନ ବାବୁ ବିଜୟଙ୍କୁ ନେବାକୁ ଚାହୁଁ ନ ଥିବେ । କଥାରେ ଅଛି, କାଦୁଅ ମାଡ଼ି ଗୋଡ଼ ଧୋଇବା । ୧୯ ବର୍ଷ ପୂର୍ବେ ନବୀନ ବାବୁ ବିଜୟଙ୍କ ଉପରେ ଭରସା କରି ଯେଉଁ ଧୋକା ଖାଇଥିଲେ, ହୁଏତ ତାକୁ ସିଏ ଦୋହରାଇବାକୁ ଚାହୁଁ ନ ଥିବେ । ସେଥିପାଇଁ ବିଜେଡି ଶିବିରରୁ ବିଜୟ ନିରାଶ ହୋଇଥିବେ ।

ସେହିପରି ଦାମ ବାବୁଙ୍କ ସହ ନୂଆ ଦଳ ଗଢ଼ିବା ନେଇ ମଧ୍ୟ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ବି ସଫଳ ହୋଇ ପାରିଲା ନାହିଁ । ଫଳରେ ଦାମ ବାବୁ ବି ଗେରୁଆ ଶିବିରର ଶରଣ ନେଲେ । ତେଣୁ, ବିଜୟଙ୍କ ପକ୍ଷେ ମଧ୍ୟ ଅନ୍ୟ କୌଣସି ବିକଳ୍ପ ନ ଥିଲା । ନିଜର ପଲିଟିକାଲ କ୍ୟାରିୟର ଭସ୍ମ ହେବା ଭୟରେ ହେଉ ଅବା ପଦବୀର ଲାଳସା ଯୋଗୁଁ, ଆଜି ବିଜୟ ନିଜର ସବୁ ସ୍ୱାଭିମାନକୁ ଜଳାଞ୍ଜଳି ଦେଇ ବିଜେପିକୁ ଫେରିଛନ୍ତି । ଯେଉଁ ବିଜେପି ଦିନେ ତାଙ୍କୁ ରାସ୍ତା କଡ଼ର ଡଷ୍ଟବିନ୍ ଭଳି ବ୍ୟବହାର କରୁଥିଲା, ରାଜନୈତିକ ସ୍ୱାର୍ଥ ଦୃଷ୍ଟିରୁ ସେଇ ବିଜୟଙ୍କୁ ଆଜି ବିଜେପି ପୁଣି ଥରେ ନିଜର ଜାଲ ଭିତରକୁ ଭାକୁର ମାଛ ଭଳି ଝାମ୍ପି ନେଇଛି…

Comments
Loading...