ଢେଙ୍କାନାଳ ବିଧାନସଭା କ୍ଷେତ୍ରରେ ପରିସ୍ଥିତି ଜଟିଳ, ନିର୍ଣ୍ଣାୟକ ହେବେ ନବିନ ନନ୍ଦ

2,357

Odisha News Hawk: ନିର୍ବାଚନ ଯେତେ ପାଖେଇ ଅସୁଛି ଢେଙ୍କାନାଳ ଜିଲ୍ଲା ରାଜନୈତିକ ପାଣିପାଗ ସେତିକି ଜଟିଳ ହୋଇ ଚାଲିଛି । ସବୁଠାରୁ ଜଟିଳ ପରିସ୍ଥିତି ଢେଙ୍କାନାଳ ବିଧାନସଭା କ୍ଷେତ୍ରରେ ଦେଖା ଦେଇଛି ।

ଏହି ନିର୍ବାଚନମଣ୍ଡଳୀରୁ ସରୋଜ କୁମାର ସାମଲ ବିଧାୟକ ଥିବା ବେଳେ ଗତ ନିର୍ବାଚନରେ ତାଙ୍କର ପ୍ରତିଦ୍ବନ୍ଦି ଥିଲେ ବିଜେପିର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର । ଗଲାଥର ବିଜେଡ଼ି ରୁ ତତ୍କାଳୀନ ବିଜେଡ଼ି ବିଧାୟକ ନବୀନ ନନ୍ଦଙ୍କ ଟିକଟ କଟିବାରୁ ତାଙ୍କ କର୍ମୀମାନେ ଆକ୍ରୋଶରେ ବିଧାନସଭାରେ ବିଜେପିକୁ ସମର୍ଥନ କରିଥିଲେ ।

ଏ ନିର୍ବାଚନମଣ୍ଡଳୀରେ ନବୀନ ନନ୍ଦଙ୍କର ନିଜସ୍ୱ ୩୦ ହଜାରରୁ ଅଧିକ ଭୋଟ ଥିବା ସମସ୍ତେ ଜାଣନ୍ତି । ଏଥର ବି କୃଷ୍ଣ ବିଜେପିର ପ୍ରମୁଖ ଟିକଟ ଦାବିଦାର ଥିବା ବେଳେ ବୈଜୟନ୍ତ ପଣ୍ଡାଙ୍କ ବିଜେପିରେ ଯୋଗଦାନ ଓ ରାଷ୍ଟ୍ରୀୟ ଉପସଭାପତି ପଦ ମଣ୍ଡନ କୃଷ୍ଣଙ୍କୁ ଶଙ୍କାଗ୍ରସ୍ତ କରିଛି । କାରଣ ଏବେ ନବୀନ ନନ୍ଦ ବୈଜୟନ୍ତଙ୍କ ଅତ୍ୟନ୍ତ ଘନିଷ୍ଠ ହୋଇଥିବାରୁ ବିଜେପି ଟିକଟ ପାଇ କୃଷ୍ଣଙ୍କ ମୁଖ୍ୟ ପ୍ରତିଦ୍ବନ୍ଦୀ ହୋଇଗଲେଣି । ସେମିତି ବି ଗତ ୨୦ ବର୍ଷ ଧରି ବିଜେପିରେ ଏକଛତ୍ରବାଦ ଚଳାଉଥିବାର ଅଭିଯୋଗ କରି କୃଷ୍ଣଙ୍କ ବିରୋଧରେ ବିଜେପିର ବହୁ ନେତା ଏକାଠି ହୋଇସାରିଲେଣି । ତେଣୁ ବିନା ନବିନଙ୍କ ସହଯୋଗରେ କୃଷ୍ଣଙ୍କ ନିର୍ବାଚନ ବୈତରଣୀ ପାରି ହେବା ଅସମ୍ଭବ ବୋଲି ଆଲୋଚନା ହୁଏ ।

ଏତେ ସବୁ ଆଲୋଚନା ଚାଲିଥିବା ବେଳେ ପରିସ୍ଥିତି ଆହୁରି ଜଟିଳ କରିଛି ପୂର୍ବତନ ବିଧାୟକ ସୁଧିର କୁମାର ସାମଲ (ନିଧି)ଙ୍କ ଏଣ୍ଟ୍ରି (ପ୍ରବେଶ) । ଜିଲ୍ଲାରେ କୁବେର ବୋଲି ଜଣାଶୁଣା ନିଧି ବାବୁ ସାଂସଦ ଟିକଟ ପାଇ ଆଶା ବାନ୍ଧି ବସିଥିଲେ । ମାତ୍ର କାମାକ୍ଷାନଗର ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସାଂସଦ ଲଢିବାକୁ ଆଶାୟୀ ଥିବା ଜାଣିବା ପରେ ନିଧି ଏବେ ଢେଙ୍କାନାଳ ବିଧାନସଭା କ୍ଷେତ୍ର କୁ ମୁହାଁଇଲେଣି । ଏବେ କିଛି ଦିନ ତଳେ ଢେଙ୍କାନାଳ ଜିଲ୍ଲାପରିଷଦ ଉପାଧ୍ୟକ୍ଷଙ୍କ ନେତୃତ୍ବରେ ବିଧାୟକ ସରୋଜଙ୍କ ବିରୁଦ୍ଧରେ ଏକ ଗୁପ୍ତ ବୈଠକ ଅନୁଷ୍ଠିତ ହୋଇଥିବା ଶୁଣାଯାଉଛି । ଏହି ବିରୋଧ ଖବର ତୃତୀୟ ମହଲାରେ ପହଞ୍ଚି ସାରିଥିବାରୁ ନିଧିଙ୍କୁ ବି ସୁଯୋଗ ମିଳିଯାଇଛି । ଯଦି ପ୍ରକୃତରେ ଏଠାରୁ ନିଧି ବିଧାନସଭା ପାଇଁ ଲଢ଼ନ୍ତି ତେବେ ବିଜେପିରୁ କୃଷ୍ଣ କେତେଦୂର ତାଙ୍କ ମୁକାବିଲା କରିପାରିବେ ତାହା ସଂଦେହଜନକ।

ଏହି ପରିସ୍ଥିତିକୁ ଜଟିଳ କରିବ ନବିନ ନନ୍ଦଙ୍କ ନିର୍ବାଚନ ଲଢିବା ନିଶ୍ପତି । କଂଗ୍ରେସ ବି ନବିନଙ୍କୁ ନିଜ ପଟକୁ ନେବା ଲାଗି ଖୁବ୍ ଜୋରରେ ଲାଗିଛି । ଯଦି ଏଥିରେ କଂଗ୍ରେସ ନେତୃତ୍ବ ସଫଳ ହୁଅନ୍ତି ତେବେ ଏଠି ଲଢେଇ ବିଜେଡ଼ି ଓ କଂଗ୍ରେସ ଭିତରେ ହି ହେବ ।

ଏଭଳି ଗୋଳମାଳିଆ ପରିସ୍ଥିତିରେ ସବୁ ଦଳର ରାଜ୍ୟ ନେତୃତ୍ବ କିଭଳି ଗୋଟି ଚାଳନା କରିବେ ତାହା ଉପରେ ହିଁ ତାଙ୍କ ଦଳର ପ୍ରାର୍ଥୀଙ୍କ ବିଜୟ ନିର୍ଭର କରିବ ।

Comments
Loading...